
ପାରଳାଖେମୁଣ୍ଡି: ସରକାର କା ମାଲ ଦରିଆରେ ଡାଲ ନାୟରେ ଗତ ୫ ବର୍ଷ ତଳେ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଦ୍ୟୁତ ସବ ଷ୍ଟେସନ ଖତ ଖାଉଛି । କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ପଞ୍ଚାୟତର ମିନିଗାଁ ନିକଟରେ ସବ ଷ୍ଟେସନ ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ନହୋଇ ବିଦ୍ୟୁତ ତାର , ଟ୍ରାନ୍ସଫର୍ମ ଓ ଅନାନ୍ୟ ସରଞ୍ଜାମ ସବୁ ଖଞ୍ଜା ସାରିଥିଲା କିନ୍ତୁ କାର୍ଯ୍ୟକ୍ଷମ ନହେବାରୁ ତାହା ପଡି ରହି ନଷ୍ଟ ହୋଇଗଲାଣି । ଏମିତିକି ସେହି ଆଞ୍ଚଲ ଏବେ ଜଙ୍ଗଲପ୍ରାୟ ଗଛଲତା ମାଡି ଯାଇଛି । ତେବେ ବିଦ୍ୟୁତ ଗ୍ରାହକ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୋଟିଏ ଗୋଟିଏ ସବ ଷ୍ଟେସନରୁ ହଜାର ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି , ଫଳରେ ଲୋ ଭୋଲ୍ଟେଜ ଓ ଅତ୍ୟଧିକ ସରବରାହ ଯୋଗୁଁ ବାରମ୍ବାର ବିଦ୍ୟୁତ୍ କାଟ, ବିଶେଷ କରି ଗ୍ରୀଷ୍ମରେ ବିଦ୍ୟୁତ ସମସ୍ୟା ଦ୍ବୀଗୁଣିତ କରିଛି। ଏହି ସବ ଷ୍ଟେସନ କାର୍ଯ୍ୟକ୍ଷମ ହେଲେ ସିତାପୁର ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ୨୦ ରୁ ଅଧିକ ଗ୍ରାମକୁ ବିଦ୍ୟୁତ ଯୋଗାଣରେ ସୁବିଧା ହୋଇଥାନ୍ତା କିନ୍ତୁ ତାହା କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇଛି । ସରକାରଙ୍କ କୋଟି କୋଟି ଟଙ୍କାର ପ୍ରକଳ୍ପ ବ୍ୟବହାର ନ ହେଉଣୁ ନଷ୍ଟ ହେଉଛି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବିଧାୟକ । ଏହି ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ପରଖିବା ସହ ତୁରନ୍ତ କାର୍ଯ୍ୟକ୍ଷମ ହେବା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ।ଏହା ପୂର୍ବରୁ ଗ୍ରୀଡକୋ ଅଧୀନରେ ଥିଲା ବର୍ତ୍ତମାନ ଟାଟା ପାୱାର କୁ ହସ୍ତାନ୍ତର ହୋଇଛି , ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ନିମନ୍ତେ ଆବଶ୍ୟକ ଅଧିକ ଅନୁଦାନ ମଗାଯାଇଛି ତାହା ଆସିଲେ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସାହୁ ।ସରକାରୀ ଅର୍ଥରେ ନିର୍ମିତ ଏହି ପ୍ରକଳ୍ପ କୁ ଯଥା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି ରଖିଛନ୍ତି ।

